BLOG

Vanda tessellata

ସ୍ୱର୍ଗର ଫୁଲ – ଅର୍କିଡ଼ ଫୁଲ

ଆମକୁ ଆଶ୍ଚର୍ଯ୍ୟଚକିତ କରିଦେବା ପରି ଅନେକ ଉପାଦାନ ସୃଷ୍ଠି କରିଛି ପ୍ରକୃତି, କିନ୍ତୁ ଆମେ କେବଳ ଜନ୍ତୁ ଓ ଜଳପ୍ରପାତ ପଛରେ ଧାଇଁ କେବେ ସେ ସବୁକୁ ଧ୍ୟାନ ଦେଉନାହିଁ । ପ୍ରକୃତିର ସେଇପରି ଏକ ସୁନ୍ଦର, ବିରଳ, ଅଦ୍ଭୁତ ସୃଷ୍ଠି ହେଉଛି ଅର୍କିଡ଼ ବା ରାସ୍ନା । କେଉଁ ଘଞ୍ଚ ଅରଣ୍ୟ, ପର୍ବତ ବା ବନାଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ କୌଣସି ଗଛର ଗଣ୍ଡି ବା ଡାଳ ସନ୍ଧିରୁ ଯେଉଁ ଛୋଟବଡ଼ ଆକାରର ବୁଦାଳିଆ ଉଦ୍ଭିଦଟିଏ ବାହାରିଥିବାର ଆମେ ଦେଖୁ, ଯାହା ଉପରେ ଧଳା, ହଳଦିଆ, ଗୋଲାପି, ବା ବାଦାମୀ ରଙ୍ଗର ଫୁଲ ଫୁଟିଥାଏ, ତାହା ହେଉଛି ଏକ ଅର୍କିଡ଼ ଜାତୀୟ ଉଦ୍ଭିଦ ଓ ଫୁଲ ।

Rhynchostylis retusa Blooming at Kotagarh
Fox-Tail Orchid (Rhynchostylis retusa) at Kotagarh, Kandhamal

ବିବିଧ ଆକାର, ବର୍ଣ୍ଣ, ଓ ବାସ୍ନାର ଦେଖାଯାଉଥିବା ଅର୍କିଡ଼ ବା ରାସ୍ନା ଏକ ପ୍ରାଚୀନ ଉଦ୍ଭିଦ ପରିବାର । ପ୍ରାୟ ୨୨୫୦୦ ପ୍ରଜାତିର ଅର୍କିଡ଼ ଦୃଷ୍ଟିଗୋଚର ହୁଅନ୍ତି ଆମ ପୃଥିବୀପୃଷ୍ଠରେ । ଆଣ୍ଟାର୍କଟିକା ଓ ମରୁଭୂମି ବ୍ୟତୀତ  ପ୍ରାୟ ସବୁ ଦେଶ ମହାଦେଶମାନଙ୍କରେ ଅର୍କିଡ଼ ଦେଖାଯାଉଥିଲେ ମଧ୍ୟ, ସେମାନେ ମୁଖ୍ୟତଃ ଦେଖାଯାଇଥାନ୍ତି ଉଷ୍ମ ଓ ଆଦ୍ର ଜଳବାୟୁ ବିଶିଷ୍ଟ କ୍ରାନ୍ତୀୟ ବା ଟ୍ରପିକାଲ ଫରେଷ୍ଟମାନଙ୍କରେ । ଭାରତର ନାତିଶୀତୋଷ୍ମ ଜଳବାୟୁ ଏବଂ ବିଭିନ୍ନ କିସମର ଅରଣ୍ୟ ସମୂହ ପ୍ରାୟ ୧୪୩୦ ପ୍ରକାର ଅର୍କିଡ଼ଙ୍କର ଘର, ଯେଉଁଥିରୁ ପ୍ରାୟ ୧୩୭ ପ୍ରଜାତିଙ୍କୁ ଏଠି ଆମ ଓଡ଼ିଶାର ଜଙ୍ଗଲମାନଙ୍କରେ ଦେଖିହେଉଥିବାରୁ ଆମେ ନିଜକୁ ଭାଗ୍ୟବାନ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । କାରଣ ହେଉଛି ଅର୍କିଡ଼ ଯେକୌଣସି ଜଙ୍ଗଲରେ ବଢିପାରେନା । ପ୍ରବଳ ବୃଷ୍ଠିପାତ ହେଉଥିବା ନିର୍ମଳ ପ୍ରଦୂଷଣମୁକ୍ତ ଅଂଚଳ, ଗରମ ଗୁଳୁଗୁଳି ଲାଗିରହୁଥିବା ସ୍ବଚ୍ଛ, ଘଞ୍ଚ, ବିସ୍ତୀର୍ଣ୍ଣ ଜଙ୍ଗଲ ଅର୍କିଡ଼ଙ୍କ ପାଇଁ ଅନୂକୁଳ ସ୍ଥାନ । ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତିର ଜଙ୍ଗଲମାନଙ୍କରେ ଅର୍କିଡ଼ଙ୍କୁ ଦେଖିବାକୁ ମିଳନ୍ତି । କିନ୍ତୁ ଓଡ଼ିଶାରେ ଅର୍କିଡ଼ଙ୍କ ପାଇଁ ସ୍ବର୍ଗ ହେଉଛି ଶିମିଳିପାଳ ।

Dendrobium formosum blooming at Jenabil, Similipal
Dendrobium formosum at Jenabil, Similipal

ଶିମିଳିପାଳର ମାଇଲମାଇଲ ବ୍ୟାପ୍ତ ବର୍ଷାଭିଜା ଚିରହରିତ ଓ ଆଦ୍ର ପର୍ଣ୍ଣମୋଚୀ ଜଙ୍ଗଲମାନଙ୍କରେ ଫୁଟନ୍ତି ପ୍ରାୟ ୧୦୮ରୁ ଉର୍ଦ୍ଧ୍ବ ପ୍ରଜାତିର ଅର୍କିଡ଼ ଫୁଲ । ଶିମିଳିପାଳର ଜଳବାୟୁ ଅର୍କିଡ଼ଙ୍କ ପାଇଁ ଏତେ ଅନୁକୂଳଯେ ଏଠାର ସର୍ବୋଚ୍ଚ ମେଘାସନୀ ଓ ଖଇରୀବୁରୁ ପର୍ବତମାନଙ୍କରେ ଦେଖାଯାଉଥିବା ‘ଏରିଆ ମେଘାସାନିଏନସିସ୍’ ଅର୍କିଡ଼ ପ୍ରଜାତି ଏଠାକାର ସ୍ବତନ୍ତ୍ର ବା ଏଣ୍ଡେମିକ ପ୍ରଜାତି ଯାହା ବିଶ୍ବରେ ଆଉ କୌଣସିଠାରେ ମିଳନ୍ତିନାହିଁ । ସେହିପରି ‘ଭାଣ୍ଡା କୋଏରୁଲିଆ’, ‘ଡେଣ୍ଡ୍ରାବିୟମ ନୋବାଇଲ୍’, ସିମ୍ବିଡ଼ିଅମ ଆଲୋଫୋଲି୍ଅମ୍’ ଆଦି ଶିମିଳିପାଳର ଅନ୍ୟ ବିରଳ ଅର୍କିଡ଼ ପ୍ରଜାତି । ଏସବୁ ପ୍ରଜାତି ଗଛ ଗଣ୍ଡିମାନଙ୍କରେ ହେଉଥିବା ବେଳେ, ସବୁ ଅର୍କିଡ଼ ପ୍ରଜାତି କିନ୍ତୁ କେବଳ ଗଛମାନଙ୍କରେ ଉଠନ୍ତି ନାହିଁ । ଗଛମାନଙ୍କରେ ହେଉଥିବା ଅର୍କିଡ଼ମାନଙ୍କୁ ଏପିଫାଇଟିକ କୁହାଯାଏ । କିଛି ଅର୍କିଡ଼ ପ୍ରଜାତି ପଥର ଉପରେ ହୁଅନ୍ତି (ଲିଥୋଫାଇଟିକ) ଓ କିଛି ଅର୍କିଡ଼ ଭୂଇଁରେ ଉଠନ୍ତି (ଟେରେଷ୍ଟ୍ରି୍ଆଲ) । ଗଛମାନଙ୍କରେ ହେଉଥିବା ଅର୍କିଡ଼ ସବୁ କିନ୍ତୁ ପରଜୀବି ନୁହନ୍ତି । ଏମାନେ ଗଛରୁ ଖାଦ୍ୟ ସଂଗ୍ରହ କରନ୍ତି ନାହିଁ ବରଂ ଗଛର ଗଣ୍ଡିକୁ ସମର୍ଥନ ଓ ଶାରାରୀକ ଦୃଢତା ପାଇଁ ବ୍ୟବହାର କରନ୍ତି । ଏହି ପ୍ରଜାତିମାନଙ୍କରୁ ବାହାରିଥିବା ବିଭିନ୍ନ ଚେରଙ୍କର ବିଭିନ୍ନ ଭୂମିକା ଥାଏ । କିଛି ଚେର ଗଛଗଣ୍ଡିକୁ ଜାବୁଡ଼ି ଧରନ୍ତି ତ ଆଉ କିଛି ବାୟୁମଣ୍ଡଳରୁ ଜଳ ସଂଗ୍ରହ କରନ୍ତି । ଏହି କାରଣରୁ ଅର୍କିଡ଼ଟିଏ ବଂଚିବା ପାଇଁ ପ୍ରବଳ ବର୍ଷା ଓ ଜଳକଣାପୂର୍ଣ୍ଣ ଗୁଳୁଗୁଳିଆ ବାତାବରଣର ଆବଶ୍ୟକତା ପଡ଼େ ।

Necklace Orchid or Rattlesnake Orchid (Pholidota imbricata) at Gudgudia, Similipal

ବଂଶବିସ୍ତାର ପାଇଁ ଅନ୍ୟ ସପୁଷ୍ପକ ଉଦ୍ଭିଦଙ୍କ ପରି, ଅର୍କିଡ଼ମାନେ ମଧ୍ୟ ନିଜର ପରାଗ ରେଣୁ ବିଞ୍ଚିବାକୁ ବିଭିନ୍ନ କୀଟ, ମହୁମାଛି, ପ୍ରଜାପତି, ଚଢେଇମାନଙ୍କ ଉପରେ ନିର୍ଭର କରିଥାନ୍ତି । ଏମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରିବାପାଇଁ ଅର୍କିଡ଼ ମାନେ – କିଏ କିଏ ରଙ୍ଗୀନ ପାଖୁଡା ତିଆରି କରିଥାନ୍ତି ତ, ଆଉ କିଏ ବାୟୁମଣ୍ଡଳରେ ସୁଗନ୍ଧ ଖେଳାଇଥାନ୍ତି, କିଛି ଅର୍କିଡ଼ମାନେ ପରାଗବହନକାରୀ ମାଧ୍ୟମମାନଙ୍କୁ ମହୁ ଓ ଖାଦ୍ୟଯୋଗ୍ୟ ରେଣୁ ମଧ୍ୟ ଉପହାର ଭାବେ ଭେଟି ଦେଇଥାନ୍ତି । ଅର୍କିଡ଼ମାନଙ୍କର ଉଭୟ ପୁରୁଷ ଓ ସ୍ତ୍ରୀ ଅଙ୍ଗ ଥାଏ । ପ୍ରଜାପତି, ଚଢେଇ ଆଦି ଯେତେବେଳେ ଗୋଟିଏ ଅର୍କିଡ଼ ସଂସ୍ପର୍ଶରେ ଆସିଥାନ୍ତି, ତାଙ୍କ ମାଧ୍ୟମରେ ସେଇ ପରାଗରେଣୁ ଅନ୍ୟ ଏକ ଗଛରେ ଉଠିଥିବା ଅର୍କିଡ଼ ପାଖକୁ ଯାତ୍ରା କରିଥାନ୍ତି, ଯେଉଁଠି ପରାଗସଂଗମ ଘଟି ନୂଆ ଅର୍କିଡ଼ ଉଦ୍ଭିଦଟିଏ ଜନ୍ମ ନେଇଥାଏ ।

Acampe praemorsa blooming at Nayagarh Forest
Acampe praemorsa at Nayagarh Forest

ଓଡ଼ିଆରେ ଅର୍କିଡ଼ ଫୁଲମାନଙ୍କର ନାମ ‘ଚିତ୍ରା’ ଦିଆଯାଇଛି । ଅନ୍ୟସବୁ ଉଦ୍ଭିଦଙ୍କ ପରି ଏଇ ଚିତ୍ରା ବା ଅର୍କିଡ଼ ଫୁଲ ମଧ୍ୟ ବର୍ଷର ଭିନ୍ନ ଭିନ୍ନ ଋତୁରେ ଫୁଟିଥାଏ । ଓଡ଼ିଶାରେ ସାଧାରଣରେ ଦେଖାଯାଉଥିବା କିଛି ଆକର୍ଷଣୀୟ ଅର୍କିଡ଼ ପ୍ରଜାତି ହେଉଛନ୍ତି କୋକିଶିଆଳି ପରି ଦିଶୁଥିବା ଫକ୍ସଟେଲ ଅର୍କିଡ଼, ଛାପଛାପ ଥବା ଗ୍ରେ ଅର୍କିଡ଼ ବା ଭାଣ୍ଡା ଟେସେଲାଟା ପରି କିଛି ପ୍ରଜାତି । ବିଶେଷକରି ବହଳ ସବୁଜ ଜଙ୍ଗଲରେ ଗଛ ଡାଳ ଓ ଗଣ୍ଡିମାନଙ୍କରୁ ପେନ୍ଥା ପେନ୍ଥା ହୋଇ ଝୁଲିଥିବା ଫକ୍ସଟେଲ ଅର୍କିଡ଼ର ଧଳା ଗୋଲାପି ଫୁଲମାନଙ୍କୁ ଦେଖିଲେ ମନ ଆନନ୍ଦରେ କୁରୁଳି ଉଠେ । ସେଇପରି ସିମ୍ବିଡିଅମ ଅର୍କିଡ଼ର ଖୋସାଟି ଏତେ ବୃହତ୍ତକାୟ ହୋଇଥାଏ ଯେ ଫୁଲଫୁଟିବା ପରେ ତାହା ଏକ ବିରାଟ ଫୁଲ ତୋଡ଼ା ପରି ଦିଶେ ।

Vanda tessellata blooming at Debrigarh
Vanda tessellata at Debrigarh, Sambalpur

ଅର୍କିଡ଼ ଫୁଲମାନଙ୍କର ବିରଳତା ଓ ଦୁର୍ଲ୍ଲଭତା ଲକ୍ଷକରି ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଆଦିମ ଜନଜାତିମାନେ ଏଫୁଲକୁ ଖୁବ ଗୁରୁତ୍ବ ଦେଇଥାନ୍ତି । ସେମାନଙ୍କ ପର୍ବପର୍ବାଣି ଓ ବାହାଘର ମାନଙ୍କରେ ଅର୍କିଡ଼ ଫୁଲରେ କନ୍ୟା ଏବଂ ଘରକୁ ସଜାଇବା କଥା ଶୁଣିବାକୁ ମିଳେ । କେବଳ ଏହାର ସୌନ୍ଦର୍ଯ୍ୟ ପାଇଁ ନୁହେଁ, ଅର୍କିଡ଼ମାନଙ୍କର ବିଭିନ୍ନ ପ୍ରକାରର ଔଷଧିୟ ଉପଯୋଗିତା ମଧ୍ୟ ରହିଛି ।

Orchid Habitat, Similipal

ବଞ୍ଚିବା ପାଇଁ ଜଙ୍ଗଲର ଗୁରୁ ଆବଶ୍ୟକତା ବିଷୟରେ ତ ଆମେ ଜାଣୁ । ଅର୍କିଡ଼ ହେଉଛି ଏକ ସ୍ବଚ୍ଛ ପରିବେଶ, ଉର୍ବର ଜଙ୍ଗଲ ତଥା ପରିସଂସ୍ଥାର ପରିଚାୟକ। ଏହାର ଉପସ୍ଥିତି ସେଇ ଅଞ୍ଚଳର ସ୍ବାସ୍ଥ୍ୟ ସୂଚାଇଥାଏ । ଏକଦା ଅର୍କିଡ଼ ଫୁଟୁଥିବା ଏକ ଅଞ୍ଚଳ ବା ଜଙ୍ଗଲରେ ଯଦି ଆଉ ଅର୍କିଡ଼ ଫୁଟୁନଥାଏ, ତାହେଲେ ସେଇ ଜଙ୍ଗଲର ସ୍ଥିତି ବିପଦରେ ବୋଲି ମାନିନେବାକୁ ହୁଏ । ଗୋଟିଏ ଅର୍କିଡ଼ ମଧ୍ୟ ଅନ୍ୟ କ୍ଷୁଦ୍ରଜୀବଙ୍କ ପାଇଁ ସ୍ବତନ୍ତ୍ର ଆବାସସ୍ଥଳୀ ପରି କାମ କରିଥାଏ। ତେଣୁ ଅର୍କିଡ଼ମାନଙ୍କୁ ସୁରକ୍ଷା ଦେବା ଦ୍ବାରା କେବଳ ଏକ ସୁସ୍ଥ ଜଙ୍ଗଲ ଓ ପରିବେଶ ବଜାୟ ରୁହେନାହିଁ, ଗୋଟିଏ ଅଞ୍ଚଳର ଜୈବ ବିବିଧତାର ମଧ୍ୟ ସୁରକ୍ଷା ଓ ପ୍ରସାର ଘଟିଥାଏ । ଜଙ୍ଗଲ ନିଁଆ, ଜବରଦଖଲ, ଅବାଧ ଗଛକଟା, ଶିକାର ଓ ଜଙ୍ଗଲରେ ମନୁଷ୍ୟକୃତ ଚାପ ଯୋଗୁଁ ବର୍ତ୍ତମାନ ଅର୍କିଡ଼ମାନଙ୍କର ଅସ୍ତିତ୍ବ ଓ ଆବାସସ୍ଥଳୀ କ୍ରମଶଃ ସଙ୍କୁଚିତ ହୋଇଚାଲିଛି । ପୂର୍ବେ ଦେଖାଯାଉଥିବା ଅର୍କିଡ଼ ପ୍ରଜାତି ମାନଙ୍କ ମଧ୍ୟରୁ ଏବେ କିଛି  ଅବଲୁପ୍ତ ଓ କିଛି ସଙ୍କଟାପର୍ଣ୍ଣ ସ୍ଥିତିରେ । ବ୍ୟବସାୟ ପାଇଁ ସେମାନଙ୍କର ଲୁଣ୍ଠନ ମଧ୍ୟ କରାଯାଉଛି । ଗୋଟିଏ ଚଢେଇକୁ ପଂଜୁରୀରେ ନୁହେଁ ବରଂ ମୁକ୍ତ ଭାବରେ ଗଛକୁ ଗଛ ଉଡିବୁଲୁଥିବାର ଦେଖିଲେ ଯେପରି ଖୁସି ଲାଗେ, ରଙ୍ଗୀନ ଅର୍କିଡ଼ଙ୍କୁ ଏକ ଘଞ୍ଚ ଜଙ୍ଗଲରେ ମଣି ମୁକ୍ତା ପରି ଚମକୁଥିବାର ଦେଖିଲେ ସେଇପରି ଉଲ୍ଲସିତ ଲାଗେ । କିଏ ଜଣେ କହିଥିଲେ ଗଭୀର ଜଙ୍ଗଲ ମଧ୍ୟରେ ଅର୍କିଡ଼ ଯେତେବେଳେ ତା’ର ସୌନ୍ଦର୍ଯ୍ୟ ଓ ସୁଗନ୍ଧ ମହକାଏ, ତାକୁ ଉପଭୋଗ କରିବାକୁ ପାଖରେ କେହିନଥାନ୍ତି । ଅନୁରୋଧ – ଆପଣ ସେହି ବ୍ୟକ୍ତି ହୁଅନ୍ତୁ ।

Cleisostoma Orchid blooming at Nuagan, Similipal
Cleisostoma Orchid at Nuagan, Similipal

Photographs by Balaram Khatua and Ashis Dhir

You may also like

Comments

No Comments

Leave a comment

Your email address will not be published. Required fields are marked *