BLOG

BROWN-WINGED-KINGFISHER

ଭିତରକନିକାର ମାଛରଙ୍କା

ପିଲାବେଳେ ଆମ ଘରକୁ ଲାଗି ଗୋଟିଏ ବିରାଟ ବଡ଼ ପୋଖରୀ ଥିଲା । ପୋଖରୀରେ ପ୍ରବଳ ମାଛଥିଲେ ଓ ପୋଖରୀ ଚାରିପଟେ ପ୍ରବଳ ଗଛ । ମୁଁ ଛୁଆଥିଲାବେଳେ ଯେତେବେଳେ ଖାଇବାକୁ ହଇରାଣ କରେ, ଜେଜେମା’ ମତେ କାଖକରି ପୋଖରୀ ପାଖକୁ ନେଇଯାଏ ଓ ଗଛରେ ବସିଥିବା ମାଛରଙ୍କା ଚଢେଇକୁ ଦେଖାଏ । “ହେଇ ଗଲା ଗଲା, ମାଛରଙ୍କା ମାଛକୁ ଧରିଲା’ – ମାଛରଙ୍କା ଚଢେଇ ଖପ୍‌କିନା ଯେତେବେଳେ ପାଣିରେ ବୁଡିକି ମାଛ ଧରି ଉଡିଯାଏ, ଜେଜେମା’ ଭାତଗୁଣ୍ଡାକୁ ମୋ ପାଟିରେ ପୁରେଇଦିଅନ୍ତି ଓ ମୁଁ ସେଇ ନୀଳ ମାଛରଙ୍କାକୁ ଦେଖି ଅନ୍ୟମନସ୍କ ହେଇ ଖାଇଦିଏ ।

ପିଲାବେଳୁ ମାଛରଙ୍କା ଦେଖି ଦେଖି ବଢିଲା ପରେ ଏଇ ଚଢେଇକୁ ଇଂରାଜୀରେ ‘କିଙ୍ଗଫିସର’ କୁହନ୍ତି ବୋଲି ପରେ ଜାଣିଲି । ଆଉ କଲେଜ ଜୀବନରେ ଯେତେବେଳେ ପ୍ରଥମଥର ଭିତରକନିକା ଯାଇଥିଲି, ସେଠି ପିଲାବେଳର ସେଇ ନୀଳ ମାଛରଙ୍କା ସହ ଆହୁରି ଅନ୍ୟରଙ୍ଗ ଓ ଜାତିର କିଙ୍ଗଫିସର ଦେଖି ସ୍ତବ୍ଧ ହୋଇଯାଇଥିଲି ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପଶ୍ଚିମବଙ୍ଗର ସୁନ୍ଦରବନ ପରେ ଦେଶର ସର୍ବବୃହତ ହେନ୍ତାଳବଣ । କେହି କେହି ଏହାକୁ ଓଡିଶାର ଆମାଜନ୍ ମଧ୍ୟ କୁହନ୍ତି । ପୂର୍ବ ଦିଗରେ ୩୫ କିଲୋମିଟର ଯାଏଁ ଲମ୍ବିଥିବା ବଙ୍ଗୋପସାଗର ଏବଂ ଅନ୍ୟ ତିନି ଦିଗରେ ଘେରିରହିଥିବା ବ୍ରାହ୍ମଣୀ, ବୈତରଣୀ ପରି ନଦୀମାନଙ୍କ ପାଇଁ ଭିତରକନିକା ଜୈବବିବିଧତାରେ ପରିପୂର୍ଣ୍ଣ । ଏଠାରେ ପ୍ରଚୁର ସଂଖ୍ୟାରେ ଦେଖାଯାଉଥିବା ବଉଳା କୁମ୍ଭୀର ବା Saltwater Crocodile ମାନଙ୍କ ସୁରକ୍ଷା ପାଇଁ ଭିତରକନିକାକୁ ୧୯୭୫ ମସିହାରେ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ପରେ ଏହି ସ୍ଥାନ ଅନ୍ୟାନ ପଶୁ ଓ ସରୀସୃପଙ୍କ ସହ ପକ୍ଷୀମାନଙ୍କର ମଧ୍ୟ ଭୂସ୍ୱର୍ଗ ବୋଲି ଜଣାପଡିଥିଲା ।

୨୦୦ରୁ ଅଧିକ ଜାତିର ଆବାସୀ ଓ ପ୍ରବାସୀ ଚଢେଇଙ୍କର ଘର ହେଉଛି ଭିତରକନିକା । ଏବଂ ଏଇ ଘରେ ରହୁଥିବା ୮ଟି ପ୍ରଜାତିର ମାଛରଙ୍କା ବା Kingfisher ଚଢେଇ ହେଉଛନ୍ତି ଭିତରକନିକାର ବିଶେଷ ଆକର୍ଷଣ । ମାଛ କଙ୍କଡ଼ା ଚିଙ୍ଗୁଡି ଆଦି ଜଳଚର ଜୀବଙ୍କୁ ଖାଇବା ପାଇଁ ଏମାନଙ୍କୁ ଦିନ ସାରା ବିଭିନ୍ନ ଗଛଡାଳ ନଈପଠାରେ ଛକି ବସିଥିବାର ଦେଖାଯାଏ ।

ଏଠାରେ ଦେଖାଯାଉଥିବା ସବୁଠୁ ଦୁର୍ଲଭ ଓ ବିରଳ ପ୍ରଜାତିଟି ହେଉଛି Brown-winged Kingfisher । ଏଠାର ଅନ୍ୟସବୁ ପ୍ରଜାତିଙ୍କଠୁ ଆକାରରେ ବଡ ପ୍ରାୟ ୩୬ ସେଣ୍ଟିମିଟର ଦୀର୍ଘ ଏଇ ମାଛରଙ୍କାର ଉଜ୍ଜ୍ଳ କମଳାରଙ୍ଗ ଦେହ, ମାଟିଆ ଡେଣା ଓ ନାଲି ଥଣ୍ଟ ଓ ଗୋଡ ଏତେ ଆକର୍ଷଣୀୟଯେ ସବୁଜ ପତ୍ର ଆଢୁଆଳରେ ଏହା ଖୁବ ଦୂରରୁ ଦୃଷ୍ଟିଗୋଚର ହୁଏ । ମୁଖ୍ୟତଃ ହେନ୍ତାଳବଣ ମାନଙ୍କରେ ବାସ କରୁଥିବା ଏଇ ମାଛରଙ୍କା ଗଛରେ କୋରଡ଼ କରି ରୁହେ ଓ କଙ୍କଡ଼ା ମାଛ ଆଦି ଜଳଚର ଜୀବଙ୍କୁ ଖାଏ । ପ୍ରଥମେ ସେ ଡାଳରେ ବସି ଦୂରରୁ ଶିକାରକୁ ଲକ୍ଷ କରେ ଓ ଠିକ ମୁହୁର୍ତ୍ତରେ ଲମ୍ପ ମାରି ଶିକାରକୁ ଝାମ୍ପି ନିଏ ।

ରଙ୍ଗରେ ସମ୍ପୁର୍ଣ୍ଣ ଭିନ୍ନ ଓ ଆକର୍ଷଣୀୟ ହେଉଛି Black-capped Kingfisher । ପ୍ରାୟ ୩୦ ସେଣ୍ଟିମିଟର ଦୀର୍ଘ ଏଇ ମାଛରଙ୍କାର ମୁଣ୍ଡ ଓ କାନ୍ଧ କଳା ରଙ୍ଗର, ଡେଣା ଓ ପିଠି ପାଖ ଉଜ୍ଜ୍ଳ ନୀଳ ଓ ବାଇଗଣି ମିଶା, ତଣ୍ଟିପାଖ ଓ ଉପର ଛାତି ଧଳା, ତଳଛାତି ଓ ଭିତର ପାଖ ହାଲୁକା ମାଟିଆ ଓ ନାଲି ଥଣ୍ଟ ଓ ଗୋଡ ଯୋଗୁଁ ଏଇ ମାଛରଙ୍କା ଦେଖିବାକୁ ଅତ୍ୟନ୍ତ ରଙ୍ଗୀନ୍ । ଏଇ ମାଛରଙ୍କା ମାଟିରେ ଗାତ କରି ବସା କରେ ଓ ପାଖରୁ ମାଛ କଙ୍କଡ଼ା ଚିଙ୍ଗୁଡି ଧରି ଖାଏ ।

ଧଳା ଓ ସବୁଜନୀଳ ମିଶା ରଙ୍ଗର ମାଛରଙ୍କା ହେଉଛି Collared Kingfisher । ପ୍ରାୟ ୨୪ ସେଣ୍ଟିମିଟର ଦୀର୍ଘ ଏଇ ମାଛରଙ୍କାର ଥଣ୍ଟ କଳା ଓ ବେକ ଚାରିପାଖେ ଏକ ଧଳା ବଳୟ ଥିବାରୁ ଏହାକୁ ଏଇନାମରେ ଡକାଯାଏ । ଗଛଗଣ୍ଡିରେ କୋରଡ଼ କରି ରହୁଥିବା ଏଇ ମାଛରଙ୍କା ଛୋଟ ଛୋଟ କଙ୍କଡା ମାଛ ଆଦିଙ୍କୁ ଖାଏ ।

ବାଟେଘାଟେ, ଚାଷଜମି, ନଈ, ପୋଖରୀ ପ୍ରାୟ ସବୁଆଡେ ଦେଖାଯାଉଥିବା ମାଛରଙ୍କାଟିର ନାମ ହେଉଛି White-throated Kingfisher । ପ୍ରାୟ ୨୮ ସେଣ୍ଟିମିଟର ଲମ୍ବା ଏଇ ମାଛରଙ୍କାର ବେକ ଧଳାରଙ୍ଗର ହେଇଥିବାରୁ ଏହାର ଏପରି ନାମକରଣ ହୋଇଛି । ଏହାର ପିଠି, ଡେଣା, ଲାଞ୍ଜ ଆଦି ଉଜ୍ଜ୍ୱଳ ନୀଳରଙ୍ଗର; ତଳଛାତି ଭାଗ ସଫାଧଳା; ମୁଣ୍ଡ, କାନ୍ଧ, ଲାଞ୍ଜପାଖ ଓ ତଳଭାଗ ମାଟିଆ ଓ ଗୋଡ ଓ ଥଣ୍ଟ ଗାଢ ନାଲି ରଙ୍ଗର । ଏଇ ମାଛରଙ୍କା ମାଟିରେ କିମ୍ବା ଗଛରେ ଗାତ କରି ବସା କରେ ଓ ପୋକଜୋକ, ବିଛା, କଙ୍କଡା, ଗେଣ୍ଡା, ବେଙ୍ଗ ଆଦି ଧରି ନେଇ ଖାଏ । ଇଏ ହେଉଛି ସେଇ ମାଛରଙ୍କା ଯାହାକୁ ମୁଁ ପିଲାବେଳେ ଘରପାଖରେ ଦେଖୁଥିଲି ।

ଏକ ସମ୍ଭ୍ରାନ୍ତ ଭଦ୍ରବ୍ୟକ୍ତି ପରି ଦିଶୁଥିବା Pied Kingfisher ର ରଙ୍ଗ କେବଳ କଳା ଧଳା । ପ୍ରାୟ ୨୬ ସେଣ୍ଟିମିଟର ଦୀର୍ଘ ଏଇ ମାଛରଙ୍କା ମାଟିରେ ଗାତ କରି ରୁହେ ଓ କେବଳ ମାଛ ହିଁ ଖାଏ । ଶିକାର ଧରିବା ପୂର୍ବରୁ ଏଇ ମାଛରଙ୍କା ପାଣିରୁ ପ୍ରାୟ ୫୦ଫୁଟ ଉପରକୁ ଉଠିଯାଏ ଓ ୯୦ ଡିଗ୍ରୀରେ ସିଧା ପାଣି ଭିତରକୁ ପଶି ଶିକାର କରେ ।

ପ୍ରାୟ ୩୫ ସେଣ୍ଟିମିଟର ଦୀର୍ଘ ନୀଳ ଘିଅ ରଙ୍ଗର Stork-billed Kingfisher ର ଦେହ ତୁଳନାରେ ମୁଣ୍ଡ ବଡ଼ । ନାଲି ଓ ଇସତ୍ ବାଇଗଣୀ ରଙ୍ଗର ମଜବୁତ ଥଣ୍ଟ, ଗାଢ ନାଲି ଗୋଡ, ମୁଣ୍ଡ ମାଟିଆ, ଛାତି ଓ ତଳଭାଗ ଘିଅ, ପିଠି ପଟ ସବୁଜ, ଏବଂ ଡେଣା ଓ ଲାଞ୍ଜପାଖ ନୀଳ ରଙ୍ଗର । ଜମି, ଗଛ, ଉଇହୁଙ୍କାରେ ସୁଡଙ୍ଗ କରି ରହୁଥିବା ଏଇ ମାଛରଙ୍କା ଗଛରେ ବହୁତ ସମୟ ଧରି ଲୁଚିରୁହେ । ଦୂରରୁ ଲକ୍ଷ କରି ପାଣିରୁ ମାଛ, କିମ୍ବା ପାଖରୁ ଛୋଟ ସରୀସୃପ, ମୂଷା ବେଙ୍ଗ ଆଦି ଧରି ଖାଏ ।

ଅନ୍ୟସବୁ ପ୍ରଜାତିଙ୍କଠୁ ଆକାରରେ ଯଥେଷ୍ଟ ଛୋଟ ହେଉଛି ପ୍ରାୟ ୧୮ ସେଣ୍ଟିମିଟର ଦୀର୍ଘ କମଳା ନୀଳ ରଙ୍ଗର Common Kingfisher । ଏହାର ଲାଞ୍ଜ ଛୋଟ ଓ ଥଣ୍ଟଟି ବଡ । ଦେହର ଉପରିଭାଗ ଆକାଶୀନୀଳ, ଡେଣା ଇସତ୍ ସବୁଜ, ଛାତି ଓ ତଳଭାଗ ହାଲୁକା କମଳା ମାଟିଆ ମିଶା, ଛୋଟ ଛୋଟ ଗୋଡ ଦୁଇଟି ଗାଢ ନାଲି ଓ ଥଣ୍ଟଟି କଳା ରଙ୍ଗର । ସାଧାରଣତଃ ମାଟିରେ ଗାତ କରି ବସା ବାନ୍ଧୁଥିବା ଏଇ ମାଛରଙ୍କା ପାଣିକୁ ଲାଗି ଉଡିପାରେ ଓ ପାଣି ଭିତରର ଶିକାର କୁ ଦେଖିପାରେ । କିଛି ସମୟ ଉଡିଲା ପରେ ପାଣିରେ ପଶି ଶିକାର କୁ ଝାମ୍ପିନିଏ । ମାଛ ଏହାର ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏହା ଅନ୍ୟ କୀଟପତଙ୍ଗ, କଙ୍କି, ପ୍ରଜାପତି, ବେଙ୍ଗ, ଚିଙ୍ଗୁଡି ମଧ୍ୟ ଖାଇଥାଏ ।

ଧୁସରନାଲି ରଙ୍ଗର Ruddy Kingfisher ଭିତରକନିକାରେ ନିକଟରେ ଠାବ କରାଯାଇଛି । ପ୍ରାୟ ୨୫ ସେଣ୍ଟିମିଟର ଦୀର୍ଘ ଏଇ ମାଛରଙ୍କାର ଥଣ୍ଟ ଓ ଗୋଡ ନାଲି ମିଶା କମଳା ରଙ୍ଗର, ଛାତି ଓ ତଳଭାଗ ଦେହର ଉପର ଭାଗ ତୁଳନାରେ ସାମାନ୍ୟ ହାଲୁକା ରଙ୍ଗର । ଗଛ ଓ ମାଟିରେ ଗାତ ଖୋଳି ବସା କରୁଥିବା ଏଇ ମାଛରଙ୍କାର ଖାଦ୍ୟ ମୁଖ୍ୟତଃ ମାଛ କଙ୍କଡ଼ା ଓ ଅନ୍ୟ କୀଟପତଙ୍ଗ । ଏଇ ମାଛରଙ୍କା ସାଧାରଣତଃ ସକାଳୁ କିମ୍ବା ସଂଧ୍ୟାବେଳେ ଶିକାର କରିବାର ଦେଖାଯାଏ । ପାଗ ଥଣ୍ଡା ଥିଲେ ଦିନ ସାରା ଏହା ଖାଦ୍ୟ ସଂଗ୍ରହ କରିବାରେ ଲିପ୍ତ ଥାଏ ।

ଭିତରକନିକାର ମାଛରଙ୍କା ସବୁ ମୁଖ୍ୟତଃ ମାଛ, କଙ୍କଡା, ଚିଙ୍ଗୁଡି ଆଦି ଜଳଜୀବଙ୍କୁ ଖାଆନ୍ତି । ଏମାନଙ୍କର ସହାୟକ ହୁଏ ହାଲୁକା ଭଟ୍ଟା ଥିବା ସମୟ । ପାଣି ଧିରେ ଧିରେ କମିଲା ବେଳକୁ ଭିତରକନିକାର କାଦୁଆ ପଠାମାନଙ୍କରେ ଦେଖାଯାଆନ୍ତି ବିଭିନ୍ନ ଜଳଚର ଜୀବ ଯାହାଙ୍କୁ ଧରିବା ପାଇଁ ସେଇ ସମୟରେ ମାଛରଙ୍କାମାନେ ହେଇଯାଆନ୍ତି ଖୁବ ଚଳଚଂଚଳ ।

ଭାରତରେ ଦେଖାଯାଉଥବା ୧୨ଟି ମାଛରଙ୍କା ପ୍ରଜାତିରୁ ୮ଟି ପ୍ରଜାତି ଭିତରକନିକାରେ ଦେଖାଯାଆନ୍ତି । ଓଡିଶା ପାଇଁ ଏହାଠୁ ବଡ ଗର୍ବର କଥା ଆଉ କଣ ହୋଇପାରେ! ଭିତରକନିକାରେ ଏଥିପାଇଁ ବର୍ଷସାରା ଲାଗିରୁହେ ପର୍ଯ୍ୟଟକ, ପ୍ରକୃତିପ୍ରେମୀ, ପରିବେଶବିତ୍ତ, ଫଟୋଗ୍ରାଫରଙ୍କ ଗହଳି । ବିଶେଷ କରି ବିରଳ Brown-winged, Black-capped, Collared Kingfisher ଭିତରକନିକାର ମୁଖ୍ୟ ଆକର୍ଷଣ । ଏତେ ପ୍ରକାରର ମାଛରଙ୍କାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେବେ ପାର୍କକୁ ମୁଁ  ପ୍ରଥମେ ଯାଇଥିଲି । ଭାବିଥିଲି ମାଛରଙ୍କା ଚଢେଇକୁ ଦେଖେଇ ବଡ କରିଥିବା ମୋ ଜେଜେମା’ ଯଦି ଏବେ ବଂଚିଥାଆନ୍ତା, ଏତେ ସବୁ ରଙ୍ଗର ମାଛରଙ୍କାଙ୍କୁ ଦେଖି ସେ ନିଶ୍ଚୟ ବହୁତ୍ ଖୁସି ହୋଇଥାଆନ୍ତା ।

Thank you Chandrakant Pattnaik for the photographs and Satyesh Naik and Ashis Dhir for the support.

You may also like

Comments

No Comments

Leave a comment

Your email address will not be published. Required fields are marked *