BLOG

Katha Barta Kathy barta novella cover

କଥାବାର୍ତ୍ତା

Chapter 1

– ଗୁରୁଜୀ, ଇଏ ହେଉଛି ଇଲିଓନର  । ମୋ ସାଙ୍ଗ ଯାହା ବିଷୟରେ ଆମେ ଫୋନ୍‌ରେ କଥା ହଉଥିଲେ । ସିଏ ଆମ ସହିତ ଏଇଠି ରହିବ କିଛିଦିନ  । Elen, he is Gurujee, my brother in law, Bapujee’s cousin.

ଘରେ ପଶୁ ପଶୁ ରିନା ଯେତେବେଳେ ତା’ ସାଙ୍ଗକୁ ଚିହ୍ନେଇଥିଲା ସବୁଥର ପରି ମୁଁ ଜାଣିପାରି ନଥିଲି କଣ କରିବି  । କେଉଁ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରିବି । ବିଦେଶୀ ଢଙ୍ଗରେ ହାଏ କରିବି ନା ନମସ୍କାର କରିବି । ନର୍ଭସରେ ମୁଁ ସବୁବେଳେ ଏୟା ହିଁ କରେ  । ଆଉ କେତେବେଳେ କିଛି ନକରି ରହିଯାଏ । ସେଥିପାଇଁ କେତେକ ମତେ ବୋକା, ଅଜବ, ଅହଙ୍କାରୀ, ଲାଜୁଆ, ଗାଁଉଲୀ ଭାବନ୍ତି  । ମୁଁ କାହାସହ ମିଶି ପାରେନି, କମ୍ କଥା ହୁଏ, ଗହଳି ଦେଖିଲେ ଡରିଯାଏ  । ମୁଁ ଚାହେଁନି ମତେ କେତେବେଳେ ବି ବହୁ ଲୋକଙ୍କୁ ଏକା ସାଙ୍ଗରେ ସଭାସମିତି ବା ସମାନ ପରିସ୍ଥିତିରେ କିଛି ବି କହିବାକୁ ପଡ଼ୁ; ନା ମତେ କିଏ କେବେ କୌଣସି ପାର୍ଟି ଉତ୍ସବ ମହୋତ୍ସବକୁ ନିମନ୍ତ୍ରଣ କରୁ  । ସେଥିପାଇଁ କଲେଜ୍ ଜୀବନରେ ପ୍ରତିଟି ‘ୱେଲ୍‌କମ୍‌’କୁ ନ ଯିବାକୁ ଚେଷ୍ଟା କରିଛି  । ବାହାଘର ବ୍ରତଘରରେ ଗଲେ ବି ମୁଁ ଚେଷ୍ଟା କରେ କାହାର ଦୃଷ୍ଟି ଆକର୍ଷଣ ନକରିବାକୁ । ଅଜଣା ଲୋକଙ୍କୁ ଭେଟିବା ଓ ତାଙ୍କ ସହ କଥା ହେବାଠୁ ବଡ଼ କଷ୍ଟ କାମ ମୋ ପାଇଁ ଆଉ କିଛି ନାହିଁ ସଂସାରରେ  । ଜଣାଶୁଣା ଲୋକଙ୍କ ସହ ମଧ୍ୟ ଅଳ୍ପ ସମୟ କଥା ହେଲାପରେ କଥା ସରିଯାଏ  । ଆଉ ମୁଁ ଜାଣିପାରେନି କଣ କଥା ହେବି – ବିଶେଷ କରି ଯଦି ଆମ ଚିନ୍ତା, ଆଗ୍ରହ, ପସନ୍ଦରେ ବେଶୀ କିଛି ସାମଞ୍ଜସ୍ୟ ନଥାଏ । ମୁଁ ଭାବିହୁଏ ଅନ୍ୟ ଲୋକଟିର କଣ ପସନ୍ଦ ଯେଉଁ ବିଷୟରେ ମୁଁ ତାକୁ ପଚାରି ବୁଝିବି  କଥା ହେଇପାରିବି  । ଯେତେ ଜଣାଶୁଣା ସାଙ୍ଗ ସୁଖ ହେଲେବି ଘରଲୋକଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତଙ୍କ ସହ ଫୋନ୍‌ରେ କଥା ହେବାକୁ ମଧ୍ୟ ମତେ ବିରକ୍ତ ଲାଗେ  । ଫୋନ୍‌କୁ ମୁଁ ବ୍ୟବହାର କରେ ଖାଲି ସୁଚନା ନେବା ଦେବା ପାଇଁ ଏବଂ ଫେସ୍‌ବୁକ୍‌, ଖବର ଆଦି ପଢ଼ାପଢ଼ିପାଇଁ  । କମ୍ପାନି, ବ୍ୟାଙ୍କ ବା କିଛି ଦରକାରୀ ଫୋନ୍ ଆସିଲେ ବି ମୋର ଇଛା ହୁଏ ସେମାନେ ଫୋନ୍ ନକରି ଇମେଲ୍‌ରେ ଯାହା କହିବା କଥା କହି ଦଉନାହାନ୍ତି ! ଏମିତିକି ମୋର କୁଆଡ଼େ ଦରକାରୀ ଫୋନ୍ କରିବାର ଥିଲେ ମଧ୍ୟ ସୂଚନାକୁ ମୁଁ ଏସ୍‌ଏମ୍‌ଏସ୍ ବା ଇମେଲ୍‌ରେ ଲେଖିକି ପଠାଇବାକୁ ଚାହେଁ  । ଆଉ ନିହାତି ଦରକାର ସମୟରେ ଫୋନ୍‌ରେ ନମ୍ବର ଡାୟାଲ୍ କରି ସେପଟେ ରିଙ୍ଗ ହେଉଥିଲେ ମଧ୍ୟ ମନକୁ ଆସେ ‘କେହି ଉଠାନ୍ତେ ନାହିଁ କି’….  । ଅବଶ୍ୟ ଲିପିକୁ ଭେଟିବା ପରଠାରୁ ମୁଁ କିଛି ବଦଳିଛି  । ମୋର ଠିକ୍ ବିପରୀତ ଭଡଭଡିଆ ମିଶାଣିଆ – ଲିପି । ତା ସହ ମିଶିବା ପରଠାରୁ ମୁଁ ଏବେ ଅଜଣାଲୋକଙ୍କ ସହ କଷ୍ଟରେ ମିଶିଯାଇପାରୁଛି, କିଛି ସମୟ କଥା ହେଇପାରୁଛି  । ଅବଶ୍ୟ ଗଣମାଧ୍ୟମ, ଟିଭି ଚଳଚ୍ଚିତ୍ର ସଂସ୍ଥାରେ କାମ କଲେ କଥାତ ନିଶ୍ଚୟ କହିବାକୁ ପଡ଼ିବ  । ହେଲେ ବି ମୁଁ ମୋ ଚାକିରୀ ସଂସ୍ଥା ମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ ଜଣାଇଛି ଯେ ମୁଁ କଥା ଅପେକ୍ଷା ଲେଖାରେ ଭଲ ବ୍ୟକ୍ତ କରିପାରେ, ତେଣୁ ମତେ ବେଶୀ କୌଣସି ମିଟିଙ୍ଗ୍ ଡିସ୍‌କସନ୍‌ରେ ନ ଡାକିବା ପାଇଁ  । ଚାକିରୀ କ୍ଷେତ୍ରରେ ବେଳେବେଳେ ଦିନସାରା ପାଟିତୁଣ୍ଡ, କଥାବାର୍ତ୍ତା, ହୋ ହା, ଘୋ ଘାରେ ସାମିଲ ହେଇଯାଏ ରାତିର କଥା ଭାବି । ରାତିରେ ଘରକୁ ଫେରି ଚୁପ୍‌ଚାପ୍ ବସି ପସନ୍ଦର ଚଳଚ୍ଚିତ୍ର ବା ସଂଗୀତ ଦେଖିବା ଶୁଣିବା ମୋତେ ସ୍ୱର୍ଗୀୟ ସୁଖ ପରି ଅନୁଭବ ହୁଏ । ଆଉ ଭୁବନେଶ୍ୱରରେ ଏକା ଘର ନେଇ ରହିବା ପରଠାରୁ ଏହା କେମିତି ଏକ ନିଶା ବା ଅଭ୍ୟାସ ପରି ହେଇଯାଇଛି  । ବେଳେବେଳେ ଲାଗେ ମାମା ବାବା ଘର ଲୋକ ମତେ ଏକା ଲାଗୁଛି ବୋଲି ଭାବୁଛନ୍ତି  । କିନ୍ତୁ ପ୍ରକୃତରେ ସେଇ ଏକାକିତ୍ୱକୁ ମୁଁ ଉପଭୋଗ କରେ  । ସେଇ ସମୟ ମୋ ପାଇଁ ଜାଳେଣି ପରି କାମ କରେ । ଥରେ ମିଳିଗଲେ ମୁଁ ପୁଣି ମିଶିବା ପାଇଁ, କଥା ହେବାପାଇଁ, କାମ କରିବାକୁ ପ୍ରସ୍ତୁତ ହେଇଯାଏ  । କିନ୍ତୁ ଏସବୁ ସତ୍ତ୍ୱେ ବି ରିନାର ସାଙ୍ଗକୁ ଦେଖି କିଛି ନକହିବାଟା ଅଭଦ୍ରାମି ପରି ମତେ ମନେ ହେଉଥିଲା  । କିଛି ନହେଲେ ତାକୁ ‘ନାଇସ୍ ଟୁ ମିଟ୍ ଇଉ’ ‘ପ୍ଲେଜର ଟୁ ହାଭ ଇଉ’ ତ କହିପାରିଥାନ୍ତି !

– କଣ କିରେ ତୋର ଫୋନ୍ ପୁରା ବନ୍ଦ !

ବାପୁଜୀ ମୋ ଶୋଇବାଘରକୁ ପଶି ଆସିଲା  । ତା’ର ବ୍ୟାଗ୍‌ପତ୍ର ଥୋଇଦେଇ ବସିଗଲା ପଢ଼ାଟେବୁଲ୍ ଉପରେ  । ବାପୁଜୀ ବଡ଼ବାପାଙ୍କ ପୁଅ – ପ୍ରାୟ ସମାନ ବୟସର  । ରିନା ସହ ରହେ କାନାଡାରେ  । ମାସରେ ଅତ୍ୟନ୍ତ ଥରେ ନିଶ୍ଚୟ କଥା ହଉଥିବା ଲୋକଙ୍କ ମଧ୍ୟରେ ବାପୁଜୀ ଜଣେ  । ସେ କଥା ପୁଣି ପାଞ୍ଚ ଦଶ ମିନିଟ୍ ନୁହେଁ  । ଫୋନ୍‌ରେ ଘଣ୍ଟା ଘଣ୍ଟା ଆମେ ଗପୁ  । ସିଏ ପୁଣି ପିଲାବେଳୁ  । ଅବଶ୍ୟ କଲେଜ୍ ଜୀବନରେ, ପ୍ରେମରେ ପଡ଼ିଥିଲା ବେଳେ ଗପ କମି ଯାଇଥିଲା କିନ୍ତୁ ବାହାହେଇ ସାରିବା ପରେ ତାହା ପୁଣି ଚାଲିଛି  ।

– ନା, ଫୋନ୍ ବନ୍ଦ ନାହିଁ ତ  । ମୁଁ ତ ରିନା ସହ କଥା ହେଇଥିଲି । ତୁ ବୋଧେ ମୋର ସେଇ ଗୁପ୍ତ ୭୭ ନମ୍ବରକୁ କରିନୁ  । ଛୁଟିରେ କାଳେ କିଏ ବିରକ୍ତ କରିବ, ସେଥିପାଇଁ ମୋର ସେଇ ୯୮ ନମ୍ବରର ସିମ୍ ବାହାର କରି ରଖିଦେଇଛି  ।

– ଓଃ ! କଣ ପୁରା ଲମ୍ବାଛୁଟି ! ଯୋର୍ କାମ !

– ହଁ, ଲମ୍ବା ଛୁଟି  । ଏଇ ନବକଳେବର କାମରେ ପୁରା ଅବସ୍ଥା ଖରାପ ହେଇଯାଇଛି  । ପୁରା ପାଞ୍ଚମାସ  । ଦିନକୁ ଅଠର ଘଣ୍ଟା ବେଳେ ବେଳେ କାମ କରିଛି ରାତି ଅନିଦ୍ରା ହେଇ  । ତେଣୁ ଟିକେ ବିଶ୍ରାମ ନ ନେଲେ ଆଉ କାମ କରିହେବନି  । ପୁରା ମାସେ ଚୁପ୍‌ଚାପ୍ ଶାନ୍ତିରେ ଘରେ ରହିବି  । ତୁ ବି ତ ଏଇନେ ଅଛୁ ଓଡ଼ିଶାରେ !

– ହଁ, ତିନିମାସ  । କିନ୍ତୁ ରହିବି ମୟୁରଭଞ୍ଜ ଉଦଳାରେ  । ସେଇଠି ମୋର ଫିଲ୍ଡ ଷ୍ଟଡି ।

– ତୁ ପରା କହୁଥିଲୁ ଭୁବନେଶ୍ୱର କିସ୍‌ରେ କରିବୁ !

– ନାଁ, ମୋର ରିସର୍ଚ୍ଚ ତ ଆଦିବାସୀ ପିଲାଙ୍କ ପାଠପଢ଼ା ଉପରେ  । କିସ୍‌ରେ ଯେଉଁ ଆଦିବାସୀ ପିଲା ଅଛନ୍ତି ସେମାନେ ଭୁବନେଶ୍ୱରରେ ରହି ତାଙ୍କର ଆଦିବାସୀତ୍ୱ ହରେଇ ବସିଲେଣି  । ତେଣୁ ତିନିମାସ ସେଇଠି ଉଦଳାରେ । ତା ପରେ ମାସେ ଘରେ ରହି ପଳେଇବି କାନାଡ଼ା  । ରିନା କିନ୍ତୁ ଆର ମାସରେ ପଳେଇବ  ।

“ଗୁରୁଜୀ, ବାପୁଜୀ …. ଲଚ୍‌ଂ ……’’

ଆମେ କଥା ହେବା ଭିତରେ ରିନା ତିନି ଚାରିଥର ଖାଇବା ପାଇଁ ଡାକ ପକେଇ ସାରିଥିଲା  । ବାପୁଜୀ ଡାକ ନଶୁଣିଲା ପରି ପଚାରିଲା –

– ଭଲ ଗୁପ୍‌ଚୁପ୍ କଣ ଆସିଛି ପୁରୀ ମାର୍କେଟ୍‌ରେ !

– ଭୁବନେଶ୍ୱରରୁ ଆସି ତୁ ପୁରୀରେ ଗୁପ୍‌ଚୁପ୍ ଖୋଜୁଛି  । ଏଇଠି ଭାରି ଅପରିଷ୍କାର  ।

– ଅପରିଷ୍କାର ତ ଭଲ  । ଯେତେ ଅପରିଷ୍କାର ସେତେ ଟେଷ୍ଟି  ।

ରିନା ତମ ତମ ହେଇ ପଶି ଆସିଲା  ।

– ତମେ ଦୁଇଟା ବଢ଼ା ହେଲା ପରେ ଜାଣିଜାଣି ଡେରି କର ନା ଜାଣି ଡେରିଡେରି କର !

– କଣ ହେଇଛି ? ମୁଁ ଉଠି ଛିଡ଼ା ହେଲାବେଳକୁ ବାପୁଜୀ ରିନାକୁ ପଚାରିଲା  ।

– କଣ ହେବ  । ଲଚଂରେ ଯାହା ହେବା କଥା ଭାତ ଡାଲମା, ମାଛ, ସାଗ …  ।

– ଓଃ  । ହଉ ମୁଁ ଅଳ୍ପ ଖାଇବି  । ମୋର ଗୁପ୍‌ଚୁପ୍ ଖାଇବାର ଅଛି  । ତେଣୁ ମୋର ହାଫ୍ ପ୍ଲେଟ୍ ଭାତ ହାଫ୍ ଡାଲ୍‌ମା, ତିନିପିସ୍ ପେଟି ମାଛ  ।

– ଯେ ତମ ବିଦେଶୀ ସାଙ୍ଗ କଣ ଏଇଗୁଡ଼ା ସବୁ ଖାଇବ ! – ମୁଁ ରିନାକୁ ପଚାରିଲି  ।

– ଖାଇବ ନାହିଁ କାହିଁକି ! ଆମେ ଫ୍ରାନ୍‌ସରେ ପଢ଼ିଲା ବେଳେ, ମୁଁ କେତେଥର ଭାରତୀୟ ଖାନା କରିଛି  । ତା ଛଡ଼ା, ତମେ ଜାଣିନ, ବିଦେଶୀଙ୍କର ଭାରତୀୟ ମସଲା ମସଲି ଖାଇବା ଭାରି ପସନ୍ଦ …  । ଛାଡ଼ ଗପ ସେତିକି  । ଏଥର ଚାଲ … ଖୁଡ଼ି ନହେଲେ ରାଗିବେ  ।

ମୋର ଖାଇବା ସରି ସାରିଥାଏ  । ବାପୁଜୀ ଦ୍ୱିତୀୟଥର ଭାତ ନେଇ ସାରି ଶେଷକୁ ପେଟିମାଛକୁ ଖାଉଥାଏ  । ମୁଣ୍ଡ ଉପରେ ଘଁ ଘଁ ହୋଇ ବୁଲୁ ଥାଏ ଫ୍ୟାନ୍‌  । ମୋ ଆଗରେ ବସିଥାଏ ରିନା ତା’ ପାଖରେ ତା’ର ସାଙ୍ଗ  । ଓଡ଼ିଆ ଖାଦ୍ୟ ଭଲରେ ଖାଉଥିଲେ ମଧ୍ୟ ସେ ଖାଉଥାଏ ଚାମଚରେ । ଚାମଚ ଓ ଫ୍ୟାନ ଛଡା ଆଉ କିଛି ଶବ୍ଦ କରୁନଥାଏ ସେତେବେଳେ । ନୀରବତା ଭାଙ୍ଗିବାକୁ ଯାଇ ବାବା ରିନାକୁ ପଚାରିଲେ –

– ଆଛା ତମ ଫରାସୀ ବନ୍ଧୁଙ୍କ ନାଁ କଣ ?

– ଆପଣ ତାକୁ ପଚାରୁ ନାହାନ୍ତି… ! ଇଂଗଲିଶ ସିଏ ଭଲରେ କହେ ।

– Elen, uncle wants to know your name

– thank you. It’s Eleonere Dupre.

ଭାତକୁ ତର ତର ହେଇ ଗିଳିଦେଇ ସେ କହିଲା ପରି ମତେ ଲାଗିଲା  ।

– So you are from France ? – ବାବା ପଚାରିଲେ ।

– Yeah ।

– ହଁ ଏବେ କିନ୍ତୁ ସେ ଆଫ୍ରିକାର ସେନେଗଲ୍‌ରେ ରହୁଛି  । ଅକ୍ସଫାମ୍ ପାଇଁ କାମକରୁଛି  । ରିନା ଯୋଡ଼ିଲା ।

– Elen, it’s Oxfam ! isn’t it ?

– Yeah ।

– ଦାଦା, ଅକ୍ସଫାମ୍ ଗୋଟିଏ ଇଣ୍ଟରନ୍ୟାସ୍‌ନାଲ୍ ଏନ୍‌ଜିଓ  । ପୃଥିବୀ ସାରା ପଭର୍ଟି ପାଇଁ କାମ କରୁଛି  ।

– ଆଛା ସିଏବି ଅର୍ଥନୀତି ବାଲା !

– ନା ନା, ସିଏ ସୋସିଆଲ୍ ସାଇକୋଲୋଜି ପଢ଼ୁଥିଲା  । ୟୁନିଭରସିଟିରେ ପଢ଼ିଲାବେଳେ ସେଠି ଗୋଟିଏ କରିଅର ଫେଆର ହୁଏ  । ଇକୋନୋମିକ୍ସ ଓ ସାଇକୋଲୋଜିର ବୁଥ ଲାଗି ଲାଗି ଥିଲା  । ସେଇ ଫେଆର୍‌ରେ ଆମ ଦିଜଣଙ୍କର ଦେଖା ହେଇଥିଲା  ।

ବାପୁଜୀ ଖାଇସାରି ହାତ ଧୋଉଥିଲା  । ସମସ୍ତେ ନଉଠିବା ପୂର୍ବରୁ ମୁଁ ଉଠିଯିବାଟା କାଳେ ଅଭଦ୍ରାମି ହେବ ସେଥିପାଇଁ ସେଠି ତଳକୁ ମୁହଁ ପୋତି ମୁଁ ବସିଥାଏ  । ମାମା ରିନାକୁ ଦୂରରୁ ଠାରୁଥାଏ ତା’ର ସାଙ୍ଗ କାଳେ କଣ ଆଉ ନେବ ବୋଲି  ।

– ଆଛା, ତୋ ଫରାସୀ ବନ୍ଧୁ ଟିକେ କମ୍ କଥା କହନ୍ତି କି ? – ବାବା ଧୀର ସ୍ୱରରେ ପଚାରିଲେ  ।

ରିନା ଠୋ ଠୋ ହୋଇ ହସିବାକୁ ଲାଗିଲା  ।

– ଆପଣ ତାକୁ ଏମିତି ଫରାସୀ ବନ୍ଧୁ ଫରାସୀବନ୍ଧୁ କଣ କହୁଛନ୍ତି ! ନାଁ ଏମିତି କିଛି ନାହିଁ  । She is a good listener. Elen, why don’t you tell Uncle about your research requirements !

ରିନାର ସାଙ୍ଗ ପୁରୀକୁ ଛୁଟି କାଟିବାକୁ ଆସିନଥିଲା । ବର୍ତ୍ତମାନ ସମୟରେ ଆଦିବାସୀଙ୍କ ସଂସ୍କୃତି ଓ ଚଳଣି ଉପରେ ସିଏ କଣ ଏକ ଗବେଷଣା କରୁଥିଲା  । ପୁରୀ ଜଗନ୍ନାଥ ମନ୍ଦିରର ଦଇତାପତିମାନେ ଆଦିମ ସବର ସଂସ୍କୃତିର ବଂଶଜ ସୂଚନା ପାଇ ସେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲା  । ନବକଳେବରର କାମ ଜୋର୍ ସୋର୍‌ରେ ଚାଲିଥିଲା ବେଳେ ଏଥିପାଇଁ ରିନା ଥରେ ଫୋନ୍ କରିଥିଲା ମୋ ପାଖକୁ – ଦଇତାପତିଙ୍କ ସାକ୍ଷାତ୍‌କାର କରିବାକୁ ଆସିବା ଉଦ୍ଦେଶ୍ୟରେ  । ସେ ଭିଡ଼ ସମୟରେ ନ ଆସି ନବକଳେବର ପରେ ଆସିବାକୁ ମୁଁ ସେତେବେଳେ ତାକୁ ପ୍ରସ୍ତାବ ଦେଇଥିଲି  ।

– Yes, it is research on socio-cultural practices among ancient tribes of the world. It is not an assignment on anything. I am just interested in it and want to write a book. When Reena told me about these people who serve Lord Jagannath having ancient roots, that fascinated me as Lord Jagannath is quite famous throughout the world. Though my research subject has not had much to do with these servitors, still I believe it may add a unique dimension to my research. So I don’t require much. If you could help me in getting an interview of four or five of these servitors, it would be a great help.

– No problem – ବାବା ଉତ୍ତର ଦେଲେ – ତାଙ୍କ ଭିତରେ ଯିଏ ମୁଖ୍ୟ ଦଇତାପତି – ରଘୁନା, ତୁ ରିନା ଜାଣିଥିବୁ, ସେ ମୋ ସାଙ୍ଗ  । ମୁଁ ତାକୁ କହି ଦେଉଛି  । ସିଏ ଭଲ କହିବ  । ଗୋଟିଏ ତା’ର ନେଇଯିବ ଆଉ ସିଏ ଯେଉଁ ଚାରିପାଞ୍ଚ ଜଣଙ୍କୁ ଠିକ୍ କରିଥିବ, ତାଙ୍କର ନେଇଯିବ ସାକ୍ଷାତ୍‌କାର  ।

ଖରାବେଳେ ସେଦିନ ଟିକେ ଗଡ଼ି ଚାରିଟାବେଳକୁ ଆମକୁ ରିନା ଟାଣି ଜବରଦସ୍ତି ନେଇଗଲା ସମୁଦ୍ରକୂଳ  । ବାପୁଜୀର ଇଛାତ ଆଦୌ ନଥିଲା ଖଟରୁ ଘୁଞ୍ଚିବାକୁ  । କେବଳ ଗୁପ୍‌ଚୁପ୍ ଆକର୍ଷଣରେ ଆସି ବସିଥିଲା ଆମ ସହ  । ବଙ୍ଗାଳୀଯାତ୍ରୀ, ଆଦି ଗହଳିକୁ ଆଡ଼େଇବା ପାଇଁ ଦିଗବାରେଣୀ ଖୁଣ୍ଟି ଡେଇଁ, ସ୍ୱର୍ଗଦ୍ୱାର ପଛରେ ଆହୁରି ଆଗକୁ ବତୀଘରପାଖକୁ ଆମେ ପଳେଇ ଆସିଥିଲୁ  । ଯଦିଓ ସେଠି ବି ଲୋକ ଥାଆନ୍ତି କିନ୍ତୁ ସେମାନେ ସାଧାରଣତଃ ଶାନ୍ତିପ୍ରିୟ ହୋଇଥାଆନ୍ତି ଓ ସମୁଦ୍ରକୂଳ ଯାଆନ୍ତି ବାଲିରେ ବସି ହୁଏତ ପ୍ରକୃତିର ମଜା ନେବାପାଇଁ – ଝାଲ୍‌ମୁଢ଼ି ଖାଇବା, ଶଙ୍ଖମାଳି କିଣିବା, ମୋବାଇଲ୍‌ରେ ଜୋର୍‌ରେ ଗୀତ ଶୁଣିବା ପାଇଁ  ନୁହେଁ ।

– ବାପୁଜୀ, ତମେ ତ କେବେବି ମତେ ଏଇପଟକୁ ଆଣିନଥିଲ ! ଯେତେବେଳେ ଆମେ ଆସୁ, ସେଇଠି ଟିକେ ଏଇଠି ଟିକେ ବୁଲେଇ ଦେଇ ନେଇଯାଅ !

ପୁରୀ ସମୁଦ୍ରକୂଳର ଏମିତି ବି ଏକ ସାମାନ୍ୟ ପରିଷ୍କାର ସଂସ୍କରଣ ଅଛି ତାହା ରିନା କେବେ ଦେଖିନଥିଲା  । ଆଗରୁ ପୁରା ସମୁଦ୍ରକୂଳଟା ଯେ ଆଗରୁ ଏମିତି ଶାନ୍ତ ଓ ସଫା ଥିଲା ତାହା ରିନା ବିଶ୍ୱାସ କରୁନଥିଲା  ।

– ପ୍ରକୃତରେ ଆମେ ପିଲାବେଳେ ଯେତେବେଳେ ବାପା ବୋଉ ବାବା ମା’ଙ୍କ ସହ ଆସୁଥିଲୁ, ସବୁବେଳେ ସେଇ ଦିଗବାରେଣୀ ଖୁଣ୍ଟି ଆଗରେ ହିଁ ବସୁ  । ଆଉ ପରେ ବଡ଼ ହେଲା ପରେ ବାପୁଜୀ ମୁଁ ଯେତେବେଳେ ଆସୁ ଏଇଠି ବତୀଘର ପାଖକୁ ନୁହେଁ, ଆହୁରି ଆଗକୁ ଯାଉ, ଯେଉଁଠି ରାସ୍ତା ସରିଯାଇଛି, ସେଇଠି ଗୋଟିଏ ମୁହାଣ ଅଛି  ।

– ଚାଲ ଚାଲ ଆମେ ସେଇଠିକି ଯିବା  ।

ଏଠାରେ ବାପୁଜୀ ଧ୍ୟାନରୁ ଉଠିଲାଭଳି ହେଲା  ।

– କେତେ ଖୁଜ୍‌ବୁଜ୍ ହେଉଛୁ କିରେ ! ଶାନ୍ତିରେ ଟିକେ ବସୁନୁ  ।

– ଆଃ, ନିଜେ ଦି ଭାଇ ଗଲାବେଳକୁ କିଛି ନାହିଁ  । ଆମକୁ ଆଣିଲାବେଳକୁ ଏତେ ନଖରାମି  ।

– ସେଇଠି ବି ଯେଉଁ ସମୁଦ୍ର, ଏଇଠି ବି ସେଇ  । ତା ଛଡ଼ା ଗାଡିରେ ପେଟ୍ରୋଲ୍ ନାହିଁ  । ଗଲାବେଳକୁ ସରିଗଲେ ତୁ ପେଲିବୁ ତ !

– ଏଇ ବାପୁଜୀ କୁଆଡ଼େ ଗୋଟେ ମତେ ନେଇକି ଯାଉ ନାହାନ୍ତି  ।

– ଆଜି ପାଇଁ ଏତିକି ହିଁ ମିଳିବ  । ହଁ ଫେରିଲା ବେଳକୁ ଦଶ ଟଙ୍କାର ଗୁପ୍‌ଚୁପ୍‌  ।

– ହଉ ଆଉ ଦୟାକରନି  । ନିଜେ ଚାଳିଶ ପଚାଶ ଟଙ୍କାର ଖାଇଯିବ  । ମତେ ଦଶ ଟଙ୍କାର  । ଠିକ୍ ଅଛି ମୁଁ ଦଶ ଟଙ୍କାର ଖାଇବି କିନ୍ତୁ ତା ସହ ଗୋଟିଏ ବଡ଼ କୋନ୍ ଭାନିଲା ଆଇସ୍‌କ୍ରିମ୍ ବି  ।

ରିନା ବାପୁଜୀଙ୍କର ସେମିତି ଚୁମୁଟା ଚୁମୁଟି ଥଟା ମଜା ଚାଲିଥାଏ  । ରିନାର ସାଙ୍ଗ ତା ପାଖକୁ ଚୁପ୍‌ଚାପ୍ ବସିଥାଏ ମଝିରେ ମଝିରେ ରିନା ତାକୁ ଇଙ୍ଗଲିଶ୍‌ରେ କଣ ବୁଝେଇ ଦେଉଥାଏ  । ସିଏ ହସୁଥାଏ  । ପୁଣି ଚାହୁଁଥାଏ ସମୁଦ୍ରକୁ ବାଲିକୁ  । ଏଇ ଗାତରେ ପଶି ସେଇ ଗାତରେ ପଶିଯାଉଥିବା କଙ୍କଡ଼ାକୁ । ବାପୁଜୀ ତା ଫୋନ୍‌ରେ ଫଟୋ ଉଠାଉଥାଏ ସମୁଦ୍ରର  । ରିନା ଗପୁ ଗପୁ ବାଲିରେ ଜଳପରୀର ଆକୃତି ଗଢ଼ୁଥାଏ  ।

– ଆଛା ରିନା, ତମକୁ ଗୋଟିଏ କଥା ଜଣେଇବାର ଥିଲା  ।

– ହଁ, କୁହ ।

– ବାବା ଯେଉଁ ଇଣ୍ଟରଭିଉ ପାଇଁ ରଘୁନା ପାଖକୁ ଯିବାକୁ କହୁଥିଲେ – ସେଇ ଯେଉଁ ଦଇତାପତି…

– ହଁ

– ସେଇ ଦଇତାପତିର ଟିକେ ଅସୁବିଧା ଅଛି  ।

– ମାନେ …

– ମାନେ ଆମେ ଶୁଣୁ ତା’ର ସ୍ତ୍ରୀ ଲୋକ, ଝିଅଙ୍କ ପ୍ରତି ଟିକେ ଦୁର୍ବଳତା ଅଛି । ଟିକେ ନୁହେଁ, ବହୁତ  । ସେ ବିଷୟରେ ବହୁ କଥା ଶୁଣିବାକୁ ମିଳେ  । ତମେ ବୁଝିପାରୁଥିବ ମୁଁ କଣ କହୁଛି  । ତେଣୁ ଟିକେ ସତର୍କ ଥାଅ । ମାନେ ତମ ସାଙ୍ଗକୁ ଜଣେଇଦିଅ  ।

– ହଁ … !

– ହଁ, ତା’ର ଲମ୍ବା ଇତିହାସ  ।

ମୋ କଥା ସରିଲାବେଳକୁ ବାପୁଜୀ ମୁଣ୍ଡ ଟୁଙ୍ଗାରିଲା ।

– ହଁ, ରଘୁନା । ତା’ର ଝିଅ ଧନ୍ଦା ଅଛି । ତେଣୁ…

– ହଉ, ଦାଦା ତ ଯିବେ ନା ! ସେଠି ପାଖରେ ଥିବେ … ।

– ହଁ, ଦାଦା ତ ଥିବେ  । ମୁଁ ଭାବୁଛି ତମେ ବି ସାଙ୍ଗରେ ତାଙ୍କର ଯାଅ  । ଭଲ ହେବ  ।

– ହଁ, ସେୟା କଲେ ହେବ । ହଉ ଦେଖିବା  ।

ସନ୍ଧ୍ୟା ହେଇ ଆସିଥିଲା  । ବତୀଘରେ ବତୀ ବୃତାକାର ଗତିରେ ବୁଲିବା ଆରମ୍ଭ କରିଦେଇଥିଲା  । ବାଟରେ ଗୁପ୍‌ଚୁପ୍ ଆଇସ୍‌କ୍ରିମ୍ ଖାଇ ଆମେ ଫେରି ଆସିଥିଲୁ ଘରକୁ  । ବାପୁଜୀ ପେଟେ ଖଟାପାଣି ପିଇ ରାତିରେ ଆଉ ନଖାଇବାର ନିଷ୍ପତ୍ତି ନେଇଥାଏ  ।  ରାତିଖିଆ ସରି ଡାଇନିଙ୍ଗ୍ ଟେବୁଲ୍ ପାଖରେ ଆମେ କଥାବାର୍ତ୍ତା ହେଉଥାଉ । ରିନାର ସାଙ୍ଗ ଶୋଇବାକୁ ପଳେଇଥାଏ  । ବାବା ହଠାତ୍ କଥାର ମୋଡକୁ ବଦଳାଇଦେଲେ  ।

– ବାପୁଜୀ, ତୁ ଗୁରୁଜୀକୁ କହୁନୁ ଏଥର ସେ ବାହା ହେଇଯାଉ ।

ବାବାଙ୍କ କଥା ନସରୁଣୁ ରିନା ପାଳି ଧରିଲା  ।

– ହଁ, ଗୁରୁଜୀ ପ୍ରକୃତରେ । ଏଥର ତ ହେଇଯାଅ  ।

– ମୁଁ ତାକୁ କଣ କହିବି ! ତାର ଯେବେ ଇଛା ହେବ ନା – ବାପୁଜୀ ମୋ ସପକ୍ଷରେ ଓକିଲାତି କଲାଭଳି କହିଲା  ।

– ଇଛା କେବେ ହେବ ! – ମାମା ଏଥର ପାଟି ଖୋଲିଲା । ବତିଶି ହେଲାଣି  । ଆଉ କେତେ ଦିନ ଏକା ରହିବ !

– ଗୁରୁଜୀ, ଖୁଡ଼ି ଠିକ୍ କହୁଛନ୍ତି  । ତମେ ପୁଣି ଏକା ସେଠି ଭୁବନେଶ୍ୱରରେ ରହୁଛ  । ପୁଣି ତମର ଯେମିତି କାମ  । ତମେ ନିଶ୍ଚୟ ଖାଇବା ପିଇବାରେ ହଇରାଣ ହେଉଥିବ  ।

– ବାହାଘର ବାହାଘର ହେଉଛ ଯେ ସବୁ । ଆଗ ଗୋଟିଏ ଝିଅ ଦେଉନ ! ମୁଁ କଣ ମନା କରୁଛି ବାହାହେବା ପାଇଁ  । ଆଗ ଗୋଟିଏ ଠିକ୍ ଝିଅ ମିଳୁ … !

ମୋ କଥା ଶୁଣି ବାପୁଜୀ ତା ଫୋନ୍‌ରେ ସାଙ୍ଗେ ସାଙ୍ଗେ ଗୋଟିଏ ମାଟ୍ରିମୋନିଆଲ୍ ସାଇଟ୍ ଫିଟେଇ ବିଭିନ୍ନ ଝିଅଙ୍କ ଫଟୋ ଦେଖିବାକୁ ଆରମ୍ଭ କରିଦେଲା  । ଗୋଟିଏ ନିଶ୍ୱାସ ନେଇ ମୁଁ ପୁଣି ଆରମ୍ଭ କଲି  ।

– ଶୁଣ । ପ୍ରକୃତ କଥା ହେଉଛି, ଆଉ ଏଇ ବୟସରେ ବାହା ହେବାଟା କେତେଦୂର ଠିକ୍ ମୁଁ ସନ୍ଦେହୀ ା ତା ଛଡ଼ା ମତେ ଏକା ତ ଲାଗୁନି  । ମୁଁ ଶାନ୍ତିରେ ଅଛି  । ଖାଇପିଇ ଭଲରେ ସମୟ କଟୁଛି  । ବାହାହେଇ ପାଟିତୁଣ୍ଡ ରାଗରୁସା ମତ ମତାନ୍ତର ଅପେକ୍ଷା ତ ଏ ଜୀବନ ଭଲ  । କାହାଠୁ କିଛି ଆଶା କରିବାର ନାହିଁ, ଅସ୍ଥିରତା ନାହିଁ, ଜଟିଳତା ନାହିଁ  । ସରଳ ଜୀବନ ଯାପନ  ।

– ପାଟିତୁଣ୍ଡ କାହିଁକି ହେବକି ? ମୋ କଥାକୁ ରିନା ଅଟକେଇ ଦେଲା – ମୁଁ ତମ ପାଇଁ ଏଥର ଝିଅ ଖୋଜିବି ତମର କିଛି ଖୋଜିବା ଦରକାର ନାହିଁ  । ତମର କେଉଁ ପରି ଝିଅ ଦରକାର ଖାଲି କୁହ  । ଛାଡ଼, ତମ ପସନ୍ଦ ଉପରେ ମୋର ଭରଷା ନାହିଁ  । ମୁଁ ମୋ ଅନୁସାରେ ଖୋଜିବି  ।

ସେଦିନ ରାତିରେ ଖୁବ୍‌ଶିଘ୍ର ସବୁ ଶୋଇଯାଇଥିଲେ  । ବାପୁଜୀ ଓ ମୁଁ ଏକାଠି ହେଲେ ସାଧାରଣତଃ ଡେରି ରାତିଯାଏଁ ଚେଉଁ କିନ୍ତୁ ସେଦିନ ସିଏ ହାଲିଆ ହୋଇ ଶିଘ୍ର ଶୋଇଯାଇଥିଲା  । ମୁଁ କେବଳ ଏକା ଚେଇଁଥିଲି  । ଭାବୁଥିଲି ଏକା ରହିବାଟା କ’ଣ ଖରାପ ! ଆଉ ଏକା ନରହିବାର ସମାଧାନ କଣ ବାହାଘର ! ଲିପି ବାହା ହେଇ ସାରିବା ପରେ ମୁଁ ବାହାଘରକୁ ନେଇ ଦ୍ୱନ୍ଦ୍ୱରେ ଥିଲି  । ଜଣକୁ ନଜାଣି ଭଲ ନପାଇ କଣ ବାହା ହେଇ ହେବ ! କ’ଣ ହେବ ଯଦି ଉଭୟଙ୍କର ଅସମାନତା ଭବିଷ୍ୟତରେ ଦୂରତା ପାଲଟେ ! ଏକା ରହି ଏକାକିତ୍ୱକୁ ଉପଭୋଗ କରିଲା ବେଳକୁ ଯଦି ବାହାହେଇ ଏକାଠି ରହି ବି ଏକା ରହିବାକୁ ପଡ଼େ ! ତା ହେଲେ ଦାର୍ଶନିକ ହେବାକୁ ପଡ଼ିପାରେ  । ସକ୍ରେଟିସ୍ ଠିକ୍ କହିଥିଲେ “If you get a good wife, you’ll become happy; if you get a bad one, you’ll become philosopher.” ଯଦିଓ ସକ୍ରେଟିସ୍‌ଙ୍କ ସହ ମୁଁ ସମ୍ପୂର୍ଣ୍ଣ ଏକମତ ନଥିଲି  । ଗୋଟିଏ ଭଲ ସ୍ତ୍ରୀ ପାଇ ଜଣେ ଭଲ ଦାର୍ଶନିକ ମଧ୍ୟ ହେଇପାରିବ । କେବଳ ସ୍ତ୍ରୀ ତାକୁ ସମୟ ଦେଲେ ହେଲା…  । ତାକୁ କେବଳ ଉପଯୁକ୍ତ ନିରୋଳା ସମୟ ଓ ସ୍ଥାନ ଦରକାର । ଯାହା ବାହାଘର ପରେ ମିଳିବା ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ସାଧାରଣତଃ ଦୋଷପରି ଲାଗେ  । ପ୍ରେମ ବିବାହ ହୋଇଥିଲେ ମଧ୍ୟ ଥରେ ବାହାହେବା ପରେ ଉଭୟଙ୍କର ଜୀବନ ଯେପରି କେବଳ ରୋଜଗାର, ଖାଇବା ପିଇବା, ବୁଲିବା, କଥାହେବା, ଶୋଇବାରେ ପରିଣତ ହୁଏ  । ଏହାହିଁ ଗ୍ରହଣୀୟ ଧର୍ମ ବାହାଘର ପରର  । ବ୍ୟକ୍ତିଗତ ଇଛାର ସ୍ଥାନ ଆଉ ରହେ ନାହିଁ ଏଇ ଧର୍ମରେ  । ଯାହା କରିବା ମିଶିକି କରିବା  । ଆଉ ଯଦି ଦୁଇଜଣଙ୍କର ଇଛା ଭିନ୍ନ ଭିନ୍ନ ହେଲା ତେବେ ! ନା ସକ୍ରେଟିସ୍ ଠିକ୍ କହିଥିଲେ  । ଭଲ ସ୍ତ୍ରୀର ଅର୍ଥ ବୋଧେ ଯିଏ ଉଭୟଙ୍କ ମଧ୍ୟର ପାର୍ଥକ୍ୟକୁ ବୁଝିପାରୁଥିବ ଏବଂ ତା’ଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତାକୁ ଗ୍ରହଣ କରୁଥିବ  ।

to be continued

You may also like

Comments

2 Comments

  • Soumyakant

    Loved reading this Gurujee. Been a long time but reading this brought back memories of your gentle demeanor and our interactions. Will look forward to more.

    • Thanks so much Dadu. Yes its been a long time. Felt nice to get a reply from you.

Leave a comment

Your email address will not be published. Required fields are marked *